Unknown

 

 

 

 

 

 

 

 

 

ଅଷ୍ଟକ ବିହାରୀ ଗୀତା

ଭୀମ ଭୋଇ

 

ପ୍ରଥମ ଅଧ୍ୟାୟ

 

କଳି ଘୋଟିଲା ଚାରିଦିଗେ

ମୁଖେ ପ୍ରଭୁଙ୍କୁ ଡ଼ାକ ସର୍ବେ

।।

 

 

କଥା ହେଲାଣି ଅସମ୍ଭାଳ

ଏ ପିଣ୍ଡ ପ୍ରାଣକୁ ସମ୍ଭାଳ

।।

 

 

କାଳ ଯେ ଗୃହେ ପଶିଲାଣି

ରୋଗ ପରାୟ ଗ୍ରାସିଲାଣି

।।

 

 

କରିବ ଅଙ୍ଗେ ଅଙ୍ଗେ ପୀଡ଼ା

ବ୍ରହ୍ମାଣ୍ଡେ ପଡ଼ିଯିବ ମଡ଼ା

।।

 

 

କାଳିକା ବୁଲୁଛି ସଂସାରେ

ଶ୍ରୀହସ୍ତେ ଛେଦୁଛି ଚକ୍ରରେ

।।

 

 

କାରଣ ପଥ ଏବେ ଖୋଜ

ମନରେ ହେତୁ କରି ବୁଝ

।।

 

 

 

କର୍ମ ଧଇଲେ ସାରତୁକ୍ୟ

ତେବେ ସେ ଯିବ କ୍ଷୟ ପାପ

।।

 

 

କହୁଛି ମିଥ୍ୟାନୁହେ ସତ୍ୟ

ଭଣିଲେ ଭୀମ ଅରକ୍ଷିତ

।।

 

 

ଖରାପ ହେବ ଦେଖ ଦେଖ

ବିଅର୍ଥେ ବ୍ରହ୍ମାଣ୍ଡର ଲୋକ

।।

 

 

କ୍ଷୟ ଯାଉଛି କଳିଭୋଗ

ଆସୁଛି ସତ୍ୟାବଦିର ଯୁଗ

।।

 

 

କ୍ଷିତିରେ ପଡ଼ୁଛି ବିପତ୍ତି

ଧର୍ମକୁ ଧର ଧର ଚେତି

।।

 

 

କ୍ଷମା ପାଇବ ଯେବେ ଥୋକେ

ସତ୍ୟ ଉଚ୍ଚାର କର ମୁଖେ

।।

 

 

ଖଳବଳରେ ନବଖଣ୍ଡ

ନାଶୁଛି ଏ ପିଣ୍ଡ ବ୍ରହ୍ମାଣ୍ଡ

।।

 

 

କ୍ଷୁଦ୍ର ବୁଦ୍ଧିକି ଦୂର କର

ଶ୍ରୀନାମ ବ୍ରହ୍ମେ ଅନୁସର

।।

 

 

ଖଡ଼ଗ ଘେନି ଯୋଗ୍ନୀଗଣ

ବ୍ରହ୍ମାଣ୍ଡେ କଲେଣି ଭ୍ରମଣ

।।

 

 

ଖଳ ଲାଗିଛି କଳି ସତ୍ୟ

କହଇ ଭୀମ ଅରକ୍ଷିତ

।।

 

 

ଗର୍ଭ ପୋଡ଼ୁଛି ଆଦିଶକ୍ତି

ଖପର ଫେରୁଅଛି ପୃଥ୍ୱୀ

।।

 

 

ଗୁରୁ ଚରଣେ ସେବା କର

ନାମକୁ ଧ୍ୟାଇ ଅନୁସର

।।

 

 

ଗତି ପାଇବ ଯେବେ ନିଶ୍ଚେ

ପ୍ରଭୁଙ୍କୁ ଡାକ ଏବେ ଉଚ୍ଚେ

।।

 

 

ଜ୍ଞାନରେ ହୁଅ ପରିଚାର

ବିହିତ କର୍ମମାନ କର

।।

 

 

ଗେରସ୍ତ ଭାରିଯା ସହିତେ

ବୃଦ୍ଧ ବାଳକ ଅଛ ଯେତେ

।।

 

 

ଗୃହ କୁଟୁମ୍ବ ଆଦିକରି

ସମସ୍ତେ ଡ଼ାକ ହରି ହରି

।।

 

 

ଗଗନେ ଘୋଟିଲାଣି ପାପ

ତିନିଭୁବନ ତ୍ରୟଲୋକ

।।

 

 

ଗୀତେ ପ୍ରବନ୍ଧ କରି ଲେଖ

ଭଣେ ପାମର ଭୀମ ମୁର୍ଖ

।।

 

 

ଘୋଟିଗଲାଣି ପାପମାନ

ସୁଜନେ କର୍ଣ୍ଣ ଦେଇ ଶୁଣ

।।

 

 

ଘୋର ଅନ୍ଧାର କଳିକାଳ

ହେଲାଣି କାନ୍ତାନୀଙ୍କ ଗୋଳ

।।

 

 

ଘାତେ ଭାଙ୍ଗିବ ବ ଦଶଦିଶ

ନାମେ ଶରଣାଗତ ପଶ

।।

 

 

ଘଡ଼ିକି ଘଡ଼ି ଭୂମି କମ୍ପ

ବ୍ରହ୍ମାଣ୍ଡେ ପଡ଼ୁଛି ଚମକ

।।

 

 

ଘେନି ଗଲେଣି ଚାରିଧର୍ମ

ସେ ଯେ ଅନାଦି ମହାବ୍ରହ୍ମ

।।

 

 

ଘୋଡ଼ାଇଥିଲେ କଥାମାନ

ଫିଟିଲା ଯୁଗଶେଷ ଜାଣ

।।

 

 

ଘୁମାଇ ଯିବେ ନରବଂଶ

ଅଧିକ କହିଚି ମୁଁ କିସ

।।

 

 

ଘୋଷିଲା ଶ୍ରୀଗୁରୁଚରଣ

ଭଣେ ଅଧମ ଭୀମସେନ

।।

 

 

ଅଗ୍ନିରେ ପୋଡ଼ୁଛି ସଂସାର

ନେତ୍ରରେ ଦେଖୁ ସୁଜ୍ଞନର

।।

 

 

ଅଙ୍ଗରେ ତପନ ବହୁଛି

ରବି ହେଙ୍ଗୁଳ ବରଷୁଛି

।।

 

 

ଅନ୍ୟାୟମାନ ଯହୁଁ କଲ

ଫଳୁଅଛଇ ସେହି ଫଳ

।।

 

 

ଅନ୍ୟଥା ନୋହେ ଏହୁ ବାକ୍ୟ

ସୁଜନେ କର ହେ ବିବେକ

।।

 

 

ଅଲେଖ ମହିମାକୁ ଭଜ

କିଛି ନ କର ଏଥି ଲାଜ

।।

 

 

ଅନ୍ୟେ ନ ରୂପେ ପିଣ୍ଡପ୍ରାଣ

ରଖିବେ ଗୁରୁ ନାରାୟଣ

।।

 

 

ଅନନ୍ତରୁପ ଅନ୍ତର୍ଯ୍ୟାମୀ

ସକଳ ଜୀବର ସେ ସ୍ୱାମୀ

।।

 

 

ଅନାଦି ବ୍ରହ୍ମ କର ଲୟେ

ଭୀମ ଅର୍କ୍ଷିତ ଭାବି କହେ

।।

 

 

ଚିତ୍ତରେ ଧର ଦୃଢ଼ କରି

ନୋହିଲେ ନିଶ୍ଚେ ଯିବ ସରି

।।

 

 

ଚାପି ଆସୁଛି ବଢ଼ି ପ୍ରାୟେ

ଧର୍ମରେ ହେଳା ନୁହ କିଏ

।।

 

 

ଚାହିଁ ମୁଁ ସଂସାର ଭବିଷ

କହୁଛି ମୋର ନାହିଁ ଦୋଷ

।।

 

 

ଚର୍ମ ରୁମରେ ଘୋଟି ମାୟା

ମାରା କଲାଣି ସର୍ବ କାୟା

।।

 

 

ଚାଣ୍ଡାଳ ଯୁଗ ଏବେ ଆସି

ସବୁଙ୍କୁ କରାଉଛି ଦୋଷୀ

।।

 

 

ଚେତାଇ କହୁଅଛୁଁ ଆମ୍ଭେ

ସୁମରି ବସ ଧର୍ମନାବେ

।।

 

 

ଚଳ ସତ୍ୟାଦି ପଥେ ସର୍ବେ

କାମକୁ ଆଶ୍ରା କରି ଦମ୍ଭେ

।।

 

 

ଗୁରୁ ଚରଣେ ଦେଇ ମନ

ଭଣେ ପାମର ଭୀମ ହୀନ

।।

 

 

ଛପନକୋଟି ଜୀବଜନ୍ତୁ

ଏବେ ମନରେ କର ହେତୁ

।।

 

 

ଛାଡ଼ିଯିବାରୁ ସତ୍ୟଧର୍ମ

ଅଚେତ ହେଉଅଛି ଭ୍ରମ

।।

 

 

ଛନ୍ଦରେ ହେଉଅଛି ମୋହ

ଫେଡ଼ି ପାରିଲେ ଯିବ ଭୟ

।।

 

 

ଛବି କରୁଛି କଳିକାଳ

ଡ଼ୁବାଇ ଦେଲା ଧର୍ମକୂଳ

।।

 

 

ଛ ବେଦ ପରେ ଯେହୁ ଛନ୍ତି

ସେଠାକୁ ଲଗାଇ ଭକତି

।।

 

 

ଛାନିଆ ନୁହ ସର୍ବଜନ

ସୁମରି ଶ୍ରୀଗୁରୁ ଚରଣ

।।

 

 

ଛନ୍ତ୍ରର ପ୍ରାୟେ ଯାର ପାଦ

ସେ ପ୍ରଭୁ ଖଣ୍ଡିବେ ପ୍ରମାଦ

।।

 

 

ଛାଡ଼ ଅନ୍ୟାୟ କଥାମାନ

ଭଣେ ଅର୍କ୍ଷିତ ଭୀମସେନ

।।

 

 

ଜୀବଇ ଯେମନ୍ତେ ସମସ୍ତେ

ଏବେ ବିଚାର ଅନ୍ତର୍ଗତେ

।।

 

 

ଯତନ କରି ଧର୍ମ ଧର

ନୋହିଲେ ପଡ଼ିବ ଖପର

।।

 

 

ଜଗିଛି କାଳ ଘରେ ଘରେ

ଜାଣି ନ ପାରୁଛ ମନରେ

।।

 

 

ଯାଉଛି କଳିଯୁଗ ଦେଖ

ବର୍ଣ୍ଣ ତାହାର ଅଗ୍ନିରୁପ

।।

 

 

ଯାହାକୁ ଯହିଁରେ ଭେଟିବ

ସଙ୍ଗତେ ସାଥି କରିନେବ

।।

 

 

ଜୀବନେ ଆଶ ଯଦି ଅଛି

ସାର ବ୍ରହ୍ମକୁ ଧର ବାଛି

।।

 

 

ଯେମନ୍ତେ ପାଇବ ଉଦ୍ଧାର

ସୁଜନେ ସେହି ବାଟ କର

।।

 

 

ଜାଣି ମନରେ କର ଧ୍ୟାନ

ଭଣେ ଅର୍କ୍ଷିତ ଭୀମ ହୀନ

।।

 

 

ଝଡ଼ି ଯେ ପଡ଼ୁଛନ୍ତି ନର

ଯେସନେ ବୃକ୍ଷର ପତର

।।

 

 

ଝାଙ୍କି ମାରୁଛି ନେବ ବୋଲି

ଗୁପତେ ବୁଲୁଅଛି କଳି

।।

 

 

ଝାବଡ଼ା ବିହୀନେ ଯେତେକ

ସଂସାର ହୋଇବ ତେତେକ

।।

 

 

ଖଟତି ନାମ ବ୍ରହ୍ମଧର

ସତ୍ୟାଦି ସାଗର ବିହାର

।।

 

 

ଝାଡ଼ ପର୍ବତ ପରିଯନ୍ତେ

ଶରୀର କରିଅଛି ଯେତେ

।।

 

 

ଝଞ୍ଜକା ପସରାକୁ ଛାଡ଼

ନାମ ବ୍ରହ୍ମକୁ କର ଦୃଢ଼

।।

 

 

ଝୁଙ୍କି ପଡ଼ୁଛ କାହିଁପାଇଁ

ଦୁର୍ଲ୍ଳଭ ଦେହ ଗୋଟା ବହି

।।

 

 

ଝାଡ଼ି ଗୁପତ କଥାମାନ

ଭଣେ ପାମର ଭୀମ ହୀନ

।।

 

 

ନିଶି ଦିବସ କର ଲୟ

ପୁଣ୍ୟରେ ଖେଳାଅ ଏ କାୟ

।।

 

 

ନିନ୍ଦିତ କଥାକୁ ନ ଡ଼ର

କେହିତ ନୁହନ୍ତି କାହାର

।।

 

 

ନାରୀ ପୁରୁଷ ଯେତେ ଅଛ

ସଂସାର ଭୟକୁ ନ ଘୁଞ୍ଚି

।।

 

 

ନାମକୁ ଭଜ ନିରନ୍ତରେ

ଅପ୍ରତେ ନ କର ମନରେ

।।

 

 

ନାରାୟଣ ଯେ କଳିଯୁଗେ

କରି ଅଛନ୍ତି ସାଧୁସଙ୍ଗେ

।।

 

 

ନିଶ୍ଚୟ ପ୍ରତ୍ୟେକ୍ଷରେ ଦେଖ

ଧର୍ମ ହୋଇଛି ନିଜ ରୂପ

।।

 

 

ଜଗତେ ପୂରିଅଛି ସେହି

ନୟନେ ନ ଚିହ୍ନିଲେ କେହି

।।

 

 

ନରେ ଶ୍ରୀଗୁରୁପାଦ ଧର

ଭଣେ ଅର୍କ୍ଷିତ ଭୀର ଛାର

।।

 

 

ଟାଣ କରୁଛି କଳିକାଳ

ବ୍ରହ୍ମାଣ୍ଡେ ପଡ଼ିଲାଣି ଶିଳ

।।

 

 

ଟମକ ବାଜି ଏ ସଂସାରେ

ଡାକ ଦେଉଛି ନିରନ୍ତରେ

।।

 

 

ଟିଆ ହୋଇଲା ଯହୁଁ ତାର

ଘାଣ୍ଟୁଛି ସକଳ ହୃଦର

।।

 

 

ଟଳି ପଡ଼ୁଛି ଏ ବ୍ରହ୍ମାଣ୍ଡ

ଉଚ୍ଛନ୍ନ ହୋଇ ନବଖଣ୍ଡ

।।

 

 

ଟାପରା ନ ମଣ ଏ ବାକ୍ୟ

ବିବେକ କର ସୁଜ୍ଞଲୋକ

।।

 

 

ଟିକାକେ ନାଶୁଛି ଏ ପୃଥ୍ୱୀ

ପାପରେ ହୋଇ ଉତପତ୍ତି

।।

 

 

ଟେକି ଅଛନ୍ତି ଶୂନ୍ୟବାନା

ଗୁରୁଙ୍କୁ ଶରଣ ମାର୍ଗଣା

।।

 

 

ଟାଣ ପ୍ରଭୁଙ୍କୁ ଆଶ୍ରେ କରି

ଭୀମ ଅର୍କ୍ଷିତ କହେ ଠାରି

।।

 

 

ଠାବ ଠାବରେ ଧର୍ମକର

ଦାନହୁଁ ପାନରେ ବିହର

।।

 

 

ଠଉରି ପାରିବ ଯେମନ୍ତେ

ଧର୍ମପାଳନା କର ନିତ୍ୟେ

।।

 

 

ଠକୁଆ ପ୍ରାୟେ ତା ନ ମଣ

ବିବେକ କର ହେ ସୁଜନ

।।

 

 

ଠୁଳ ହେଲାଣି ସବୁ ଆସି

ଦେଖ ସକଳେ ଜୀବରାଶି

।।

 

 

ଠିକ ହେଲାଣି ଆସି କଣ୍ଟ

ଏଠାରୁ କଳି ଯିବ କାଟ

।।

 

 

ଠାବେ ଧରିଲେ ଧର୍ମବାଟ

କାଳ ଦୁର୍ଗତି ଯିବ କାଟ

।।

 

 

ଠିକଣା କହୁଅଛି ମୁହିଁ

ସତ୍ୟ ବଚନ ମିଥ୍ୟା ନୋହି

।।

 

 

ଠାକୁର ଚରଣେ ମୋ ଆଶ

ଭଣେ ଅର୍କ୍ଷିତ ଭୀମଦାସ

।।

 

ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ଶତଧର୍ମ ସମ୍ବାଦ

କଥନେ ଏକପାଦ ବର୍ଣ୍ଣନେ ନାମୋ ପ୍ରଥମୋଽଧ୍ୟାୟଃ ।

 

ଦ୍ୱିତୀୟ ଅଧ୍ୟାୟ

 

ଡ଼ାକି କହୁଛୁ ଆମ୍ଭେ ଏବେ

ନାମ ଆଶ୍ରିତ ହୁଅ ସର୍ବେ

।।

 

 

ଡାଙ୍କେଣୀ ବୁଲିଲେଣି ଆସି

ଭ୍ରମିବେ ଗ୍ରାମେ ଗ୍ରାମେ ପଶି

।।

 

 

ଦଣ୍ଡଟି ପଡ଼ିବ ନିର୍ଘାତ

ପୃଥ୍ୱୀରେ ହେବ ଉଲ୍‌କାପାତ

।।

 

 

ଡୋଳେ ନ ଦେଖିଅଛ ତୁମ୍ଭେ

ମିଛ କି କହୁଅଛୁଁ ଆମ୍ଭେ

।।

 

 

ଡରିବ ଯେବେ ସର୍ବଜନ

ନାମରେ ପଶ ହୋ ଶରଣ

।।

 

 

ଦାଣ୍ଡରେ ପଡ଼ୁଅଛି ନାମ

ଲଭି ଭଜିଲେ ହେବ କ୍ଷମ

।।

 

 

 

 

ଡିଙ୍ଗର ବୁଦ୍ଧିରେ ନ ପଡ଼

ଶ୍ରୀନାମ ବ୍ରହ୍ମ କର ଦୃଢ଼

।।

 

 

ଡାକ ଫେରାଇ ତିନିପୁର

ଭଣେ ଅର୍କ୍ଷିତ ଭୀମ ଛାର

।।

 

 

ଢାଉ ରଙ୍ଗକୁ ଛାଡ଼ ଛାଡ଼

ନିଜ ପତିଙ୍କୁ ତୁମ୍ଭେ ଲୋଡ଼

।।

 

 

ଢାଳେ ବାନାକୁ ଅନୁସରି

ମୁଖେ ଉଚ୍ଚାର ହରି ହରି

।।

 

 

ଢାଙ୍କି ରଖିବେ ଶୂନ୍ୟ ବାନା

ଭବ ଭୟକୁ ଭଜ ସିନା

।।

 

 

ଡେଙ୍ଗୁରା ଦେବେ ତିନିପୁର

ଯୋଗ୍ନୀଏ ହେଲେଣି ବାହାର

।।

 

 

ଢୋକିବେ ମାନବ ରୁଧିର

କର୍ଣ୍ଣରେ ଶୁଣ ସୁଜ୍ଞନର

।।

 

 

ଢମାଳି ନୁହ ଫୁଲାପଣ

କ୍ଷଣକେ ଭାଜିଯିବ ଟାଣ

।।

 

 

ଢୋଲ ପରାୟ ଗଡ଼ୁଥିବ

ଭଲ ନ କରେ କଳିଯୁଗ

।।

 

 

ଢାଙ୍କୁଣୀ ଭିତରରେ ରହି

ଭଣେ ଅର୍କ୍ଷିତ ଭୀମଭୋଇ

।।

 

 

ଅଣାକାରକୁ କର ଲୟ

ଘୁଞ୍ଚିବ କାଳ ମୃତ୍ୟୁଭୟ

।।

 

 

ଅଣଅକ୍ଷରେ ଠାବ କର

ମନରେ ହେତୁ କରି ଧର

।।

 

 

ଅନ୍ୟାୟ ଦେଖି ଏ ଜଗତ

ତେଣୁ ଡରିଲା ଆମ୍ଭ ଚିତ୍ତ

।।

 

 

ଅଣପଥରେ ସର୍ବେ ଚାଲି

ପାତକ କଲେ ମହିଆଳି

।।

 

 

ଅଣାକାରଙ୍କ ଡାକ ଧର୍ମ

ତହିଁରେ ଛନ୍ତି ସେହି ବ୍ରହ୍ମ

।।

 

 

ଆସ ସତ୍ୱରେ ସ୍ତୁତି କର

ଶ୍ରୀଗୁରୁ ଛାମୁରେ ପଚାର

।।

 

 

ଅନନ୍ତ ମହିମାର କଥା

ଗୁରୁଙ୍କ ହିତେ ସାମରଥା

।।

 

 

ଅଣବିଦ୍ୟାର ମାର୍ଗେ ଥାଇ

ଭଣେ ଅର୍କ୍ଷିତ ଭୀମଭୋଇ

।।

 

 

ତିମିରି ଘୋଟିଲାଣି ଆସି

ବ୍ରହ୍ମାଣ୍ତ ନିଶ୍ଚେ ଯିବ ଭାସି

।।

 

 

ତିନିପୁରକୁ ଘୋଟି ପାପ

ଯୁଗ ହୋଇଛି ଅଗ୍ନିମୁଖ

।।

 

 

ସ୍ତିରୀ ହେବାକୁ ବଳବନ୍ତ

ଶୁଖି ଯାଉଛି ବାମ୍ପୀତୀର୍ଥ

।।

 

 

ତିଳପ୍ରମାଣେ ଜଳଧାରା

ତାଡ଼ିଛି ବିଷ ଅଙ୍କ ଭାରା

।।

 

 

ତତ୍ତ୍ୱକୁ ଧର ପଞ୍ଚମନେ

ରାତ୍ରଦିବସ ଏକଧ୍ୟାନେ

।।

 

 

ତେବେ ରହିବ ଜୀବପିଣ୍ତେ

ପଡ଼ିବ ନାହିଁ କାଳଦଣ୍ତେ

।।

 

 

ତରିବା କଥା ଏବେ ଖୋଜ

ସାର ପ୍ରଭୁଙ୍କୁ ହୃଦେ ଭଜ

।।

 

 

ତରସ୍ତ ହୋଇ ମନେ ମନ

ଭଣେ ଅର୍କ୍ଷିତ ଭୀମସେନ

।।

 

 

ଥୋଇଛି ଗୁପତ ବ୍ରହ୍ମାଣ୍ତ

ପଡ଼ୁଛି ମହାଘୋର ଦଣ୍ତ

।।

 

 

ଥରକୁ ଥର ଏ ମେଦିନୀ

ଡାକ ପଡ଼ୁଛି ଉଚ୍ଚେ ପୁଣି

।।

 

 

ସ୍ଥାବର ଜଙ୍ଗମ ସହିତେ

ଅସତ୍ୟ ହେବାରୁ ସମସ୍ତେ

।।

 

 

ସ୍ଥାନକୁ ଭ୍ରଷ୍ଟ ଯେଣୁ କଲେ

ଧର୍ମ ଯେ ଶୂନ୍ୟେ ଉଠିଗଲେ।

 

 

ସ୍ଥବିର କର ମନ ବୁଦ୍ଧି

ରଖିବେ କରୁଣା ବାରିଧି

।।

 

 

ଥୟ ରହିବ ପଞ୍ଚ ପ୍ରାଣ

ସେହୁ ଭଜିବ ନାରାୟଣ

।।

 

 

ସ୍ଥିତି ପାଇବେ କଳିକାଳେ

ସୁଖେ ରହିବ ରବିତଳେ

।।

 

 

ଅଦ୍ୟ ଗାଢ଼ରେ ଦେଇ ଚିତ୍ତ

ଭଣିଲେ ଭୀମ ଅରକ୍ଷିତ

।।

 

 

ଦର୍ଶନ କର ଉଦେ ଅସ୍ତ

ନାମକୁ ଧର ପଞ୍ଚଭୂତ

।।

 

 

ଦୟା ହୋଇବ ତେବେ ଯାଇଁ

ସେ ପ୍ରଭୁ ମହା ପୁଣ୍ୟ ଦେହୀ

।।

 

 

ଦିନ ପାଇଲା ଦେଖୁଁ ଦେଖୁଁ

ହିତରେ କହୁଛି ତୁମ୍ଭଙ୍କୁ

।।

 

 

ଦୁର୍ଭିକ୍ଷ ପଡ଼ୁଛି ସଂସାରେ

ଅବସ୍ଥା ବ୍ରହ୍ମ ପ୍ରଳୟରେ

।।

 

 

ଦାରିଦ୍ର୍ୟ ଦୁଃଖ ଯେବେ ଯିବ

ସତ୍ୟଧର୍ମକୁ କର ଠାବ

।।

 

 

ଦେଇ ଅଛନ୍ତି ପାଦେ ଧର୍ମ

ନ ବୁଝି ହେଉଅଛ ଭମ

।।

 

 

ଦାନହିଁ ଦିଅ ଅନ୍ନବସ୍ତ୍ର

ତହିଁ ବ ଜିବ କାଳଚକ୍ର

।।

 

 

ଦୟାରେ ହୁଅ ପରିତ୍ରାଣ

ଭଣେ ଅର୍କ୍ଷିତ ଭୀମସେନ

।।

 

 

ଧର୍ମକୁ ସ୍ଥାପ ଘରେ ଘରେ

ସତ୍ୟ ପ୍ରଚାର ନିରନ୍ତରେ

।।

 

 

ଧରିତ୍ରୀ ଉଶ୍ୱାସ ପାଇବ

ପାତକମାନ ପୋଡ଼ିଯିବ

।।

 

 

ଧର୍ମପଥକୁ କର ଆଶା

ନାହିଁ ବା ଅନ୍ୟଟି ଭରସା

।।

 

 

ଧର୍ମେ ଯେ ଆତଯାତ ହେବ

ସେ ପ୍ରାଣୀ ସଂସାରେ ରହିବ

।।

 

 

ଧରିବ ଯେବେ ଦୃଢ଼ କରି

କଳିଯୁଗକୁ ହେବ ପାରି

।।

 

 

ଧାଇଁ ଆସୁଛି ଦେଖ କାଳ

ପୃଥ୍ୱୀକି ହୋଇବାକୁ ସଲ

।।

 

 

ଧରି ସେ ମାଡ଼ି ବସିଲାଣି

ସବୁଙ୍କୁ ମେଳଛ କଲାଣି

।।

 

 

ଧ୍ୟାଇ ସେ ଗୁରୁପାଦଗତ

ଭଣିଲେ ଭୀମ ଅରକ୍ଷିତ

।।

 

 

ନାମଟି କଳିଯୁଗେ ସାର

ତେଣୁଟି ଚଳୁଛି ସଂସାର

।।

 

 

ନିଦ୍ରା ପରାୟେ ପାପ-ପଙ୍କ

ଅଙ୍ଗରେ ଘୋଟିଅଛି ଦେଖ

।।

 

 

ଦିଶୁଛି ପ୍ରତ୍ୟେକ ନେତ୍ରରେ

ବୃକ୍ଷବକଳ ସ୍ୱରୂପରେ

।।

 

 

ନାଶୁଛି ପିଣ୍ତ ବ୍ରହ୍ମାଣ୍ତକୁ

ଡ଼ୁବାଇ ସତ୍ୟାଦି ଧର୍ମକୁ

।।

 

 

ନିସତ ନୁହଁ ସୁଜ୍ଞଜତ

କର ଶ୍ରୀଗୁରୁ ଧର୍ମମାନ

।।

 

 

ନବଖଣ୍ତରେ କଳି ପଶି

ସବୁଙ୍କୁ କରାଉଛି ଦୋଷୀ

।।

 

 

ନିନ୍ଦା କରାଇ ସର୍ବମୁଖେ

ଅଚେତ କରାଇ ପ୍ରତ୍ୟକ୍ଷେ

।।

 

 

ନବ ଅଦ୍ଭୂତେ ପଦେ ଧ୍ୟାଇ

ଭଣେ ପାମର ଭୀମଭୋଇ

।।

 

 

ପାଷାଣ ହେଲେଣି ଦେବତା

 

ଉଚିତ ପ୍ରମାଣ ଏ କଥା

।।

 

 

ପାତକେ ଏ ପିଣ୍ଡବ୍ରହ୍ମାଣ୍ତ

ଛିଣ୍ଡି ଯାଉଛି ଖଣ୍ଡ ଖଣ୍ଡ

।।

 

 

ପରଚେ ହୁଅ ଗୁରୁପାଦ

ତେବେ ଘୁଞ୍ଚିବପରମାଦ

।।

 

 

ପଣ୍ଡିତଜନ ଅଛ ଯହିଁ

ବୁଝିବେ ଶ୍ରୋତା ଚିତ୍ତ ଦେଇ

।।

 

 

ପୁଣ୍ୟକୁ ବାଞ୍ଛା ଯେବେ ଅଛି

ଧର୍ମକୁ ଲୋଡ଼ ଏବେ ବାଛି

।।

 

 

ଫେଡ଼ିବ ସକଳ ଦୁର୍ଗତି

ପାଇବ ସୁଗତି ମୁକତି

।।

 

 

ପିତା ଅଟନ୍ତି ଗୁରୁଦେବ

ତାଙ୍କ ଚରଣେ କର ଭାବ

।।

 

 

ସେ ପୁଣ୍ୟ ବ୍ରହ୍ମପଦେ ଧ୍ୟଇ

ଭଣେ ଅର୍କ୍ଷିତ ଭୀମଭୋଇ

।।

 

 

ଫଳୁଛି କଲା କର୍ମମାନ

ଜାଣି ନ ପାରୁଛ ସୁଜନ

।।

 

 

ଫଳ ସ୍ମୃତିରେ ଅଛ ମାତି

ମାୟାରେ ନ ପାରୁଛ ଚେତି

।।

 

 

ଫାଟୁଛି ବ୍ରହ୍ମାଣ୍ଡ କପାଳ

ତେଣୁ ହୋଇଛି ଖଳବଳ

।।

 

 

ଫଟାଇ କହୁଅଛୁଁ ଆମ୍ଭେ

ବିବେକ ନ କର ନା ତୁମ୍ଭେ

।।

 

 

ଫେଡ଼ିବେ ଯେତକ ସଙ୍କଟ

ପ୍ରଭୁଙ୍କୁ ହୃଦେ ଧରି ରଟ

।।

 

 

ଫୁଲାପଣରେ ନୁହ ବାଇ

କହୁଛି ସଂଶୟ ଫିଟାଇ

।।

 

 

ଫୁଟି ଗଲାଣି ତିନିପୁରେ

ଧର୍ମ ଫେରୁଛି ସର୍ବଦ୍ୱାରେ

।।

 

 

ଫେଡ଼ି ଧର୍ମାଦି ପାଦ ଲିହି

ଭଣେ ଅର୍କ୍ଷିତ ଭୀମଭୋଇ

।।

 

 

ବାଇ ହେଉଛ ସୁଜ୍ଞ ନର

ଏବେ ଉପାୟ ତୁମ୍ଭେ କର

।।

 

 

ବ୍ରହ୍ମାଣ୍ଡେ ରହିବ ଯେମନ୍ତ

ଇଷ୍ଟଧର୍ମକୁ ପାଳ ନିତ୍ୟ

।।

 

 

ବିହି ଦିଅନ୍ତି ଦୟା କ୍ଷମା

ସମସ୍ତେ ଭଜ ହେ ମହିମା

।।

 

 

ବିରୋଧ ନ କର ଦୀକ୍ଷାକୁ

ପଚାର ଧର୍ମ ଅତିଥିଙ୍କୁ

।।

 

 

ବ୍ରହ୍ମ ଚଣ୍ଡାଳ ଯୁଗ ଏହି

କାହାକୁ ନ ରଖିବ ମହୀ

।।

 

 

ବିଷ୍ଣୁ ଭକତ ଏବେ ହୁଅ

ମହିମା ଧର୍ମ ଦୀକ୍ଷା ନିଅ

।।

 

 

ବଡ଼ ବିଖ୍ୟାତ ଏ ଅଟଇ

ଏଥିରୁ ସାର ଆଉ ନାହିଁ

।।

 

 

ବ୍ରହ୍ମଭକ୍ତିରେ ଦେଇ ଚିତ୍ତ

ଭଣଇ ଭୀମ ଅରକ୍ଷିତ

।।

 

 

ଭାରଦା କରି କଳିଯୁଗ

ନେଲାଣି ସର୍ବ ଜାତିବର୍ଗ

।।

 

 

ଭାରି ହେଲାଣି ଦିନୁଦିନ

ହରି ନେଉଛି ପ୍ରାଣୀମନ

।।

 

 

ଉତ୍ପାତ ହେଲାଣି ବ୍ରହ୍ମାଣ୍ଡ

ସଚରା ପୃଥ୍ୱୀ ନବଖଣ୍ଡ

।।

 

 

ଭାସି ଯିବାକୁ ବସିଅଛି

ବହୁତ ବେଳ ନୁହେଁ କିଛି

।।

 

 

ଭରସା ହେଲାଣି ଏ ଯୁଗ

ସରି ଗଲାଣି କଳିଭୋଗ

।।

 

 

ଭୟ ନିବାର ନିଜ ମନୁ

ଆନ ନ ଦିଶେ ଗୁରୁବିନୁ

।।

 

 

ଭାବକୁ ନିକଟ ସେ ଗୁରୁ

ଉଦ୍ଧାର କରନ୍ତି ହସ୍ତରୁ

।।

 

 

ଭାବି ମୁଁ କରିଅଛି ଆଶ

ଗୀତରେ ଭଣେ ଭୀମଦାସ

।।

 

ଇତି ଶ୍ରୀ ଅଷ୍ଟକ ବିହାରୀ ଗୀତା ସୁଜନ ଜନହିତା ଶ୍ରୀ ଗୁରୁପ୍ରସନ୍ନେ

ବେଦାନ୍ତପଦ ବଖାଣନ୍ତେ ସ୍ୱଧର୍ମ ବର୍ଣ୍ଣନେ ନାମୋ

ଦ୍ୱିତୀୟୋଽଧ୍ୟାୟଃ ।।

 

Unknown

ତୃତୀୟ ଅଧ୍ୟାୟ

 

ମହିମା ନାମ ଆଶ୍ରେକର

ବ୍ରହ୍ମାଣ୍ଡେ ଅଛ ଯେତେ ନର

।।

 

 

ମହୀମଣ୍ଡଳରେ ରହିବ

ପୃଥ୍ୱୀକି ବିହନ ହୋଇବ

।।

 

 

ମନ ଭିତରେ କର ଭକ୍ତି

ନାମ ରହିବ ଯତି ପତି

।।

 

 

ମନୁଷ୍ୟ ଜନମ ଲଭିଛ

ପଶୁ ପରାୟ ହେଉଅଛ

।।

 

 

ମିଛକୁ ଛାଡ଼ି ହୃଦୟରୁ

ତେବେ ପ୍ରସନ୍ନ ହେବେ ଗୁରୁ

।।

 

 

ମହା ଧନ୍ଦିଳ ଉଠୁଅଛି

ନାମ ଭଜିଲେ ହେବ ବାଛି

।।

 

 

 

 

ମୋହେ ଘୁମିବେ ନରବଂଶ

ନରେ ଭକ୍ଷିବେ ନରମାଂସ

।।

 

 

ମହିମା ଚରଣକୁ ଧ୍ୟାୟି

ଭଣେ ଅର୍କ୍ଷିତ ଭୀମଭୋଇ

।।

 

 

ଜାଣୁଛ ଚଉଦଭୁବନ

ବ୍ରହ୍ମଅନଳରେ ଦହନ

।।

 

 

ଜମ୍ବୁଦ୍ୱୀପରେ ଯେତେ ଅଛ

ସାକ୍ଷାତେ ନେତ୍ରେ ତ ଦେଖୁଛ

।।

 

 

ଜୀବ ତ ବିପ୍ରସନେ ଆସି

ବ୍ରହ୍ମାଣ୍ଡେ ଘୋଟିଲାଣି ପଶି

।।

 

 

ଜୀବନେ ବଞ୍ଚିବ ଯେମନ୍ତେ

ଏବେ ଉପାୟ କର ଚିତ୍ତେ

।।

 

 

ଯୋଗ୍ନୀ କାନ୍ତାନୀ ପଲ ପଲ

ବ୍ରହ୍ମାଣ୍ଡେ କରନ୍ତି ଚହଳ

।।

 

 

ଜଗତକରତାଙ୍କୁ ଭଜ

ଛାଡ଼ି ସଂସାର ମତ ବାକ୍ୟ

।।

 

 

ଜାଣୁ ତ ଅଛ ଯେ ପ୍ରତ୍ୟକ୍ଷ

କିମ୍ପା ହେଉଛ ଅବିବେକ

।।

 

 

ଜଗତନାଥ ପାଦେ ଚିତ୍ତ

ଭଣଇ ଭୀମ ଅରକ୍ଷିତ

।।

 

 

ରସା ମେଦିନୀ ଟଳମଳ

ଆଗକୁ ନ ଦିଶୁଛି ଭଲ

।।

 

 

ରହି ନୋହିବ ବିନା ଧର୍ମେ

ଚିତ୍ତ ନିବେଶ ନେଇ ବ୍ରହ୍ମେ

।।

 

 

ନର ମନରେ କଲେ ହେଲା

ଭବରେ ବୁଡ଼ିଯିବ ଭେଳା

।।

 

 

ରଡ଼ି ଛାଡ଼ୁଛୁ ବସୁମତୀ

ଭାରା ଯେ ନ ସହଇ ପୃଥ୍ୱୀ

।।

 

 

ସ୍ୱାମୀ ନାମକୁ ଆଶ୍ରେକରେ

ସତ୍ୟାଦି କର୍ମ ବେଗେ ଧର

।।

 

 

ରକ୍ଷା କରିବେ ମହାପ୍ରଭୁ

ସମର୍ପି ହୁଅ ବେଗେ ବାବୁ

।।

 

 

ରାଷ୍ଟ୍ର ବିପ୍ଲବ ହୋଇଲାଣି

କାଳଚକ୍ରହିଁ ଫେରିଲାଣି

।।

 

 

ରଖି ଶ୍ରୀ ଗୁରୁପାଦେ ମନ

ଭଣେ ପାମର ଭୀମ ହୀନ

।।

 

 

ଲାଗିଗଲାଣି ଠାବେ ଠାବେ

କାନ୍ତାନୀଗୋଳ ଚାରିଦିଗେ

।।

 

 

ଲୁହାର ମଇ ମାଡ଼ିଲାଣି

ମଡ଼ା ବ୍ରହ୍ମାଣ୍ଡେ ପଡ଼ିଲାଣି

।।

 

 

ଲୁହା ଖପର ଜାତ ହୋଇ

ପକାଇ ଯାଇଅଛି ନେଇ

।।

 

 

ଲଙ୍ଘି ଗଲାଣି ଦେଖୁ ଦେଖୁ

ବୋଲିଣ ଏ ତିନି ପୁରକୁ

।।

 

 

ଲୟ ଲଗାଅ ପ୍ରଭୁପାଦେ

ଏ ଆତ୍ମା ଉଦ୍ଧାରିବ ଯେବେ

।।

 

 

ଲକ୍ଷଣ ଆଚାରରେ ଚାଲ

ଗୁରୁ ବଚନ ପ୍ରତିପାଳ

।।

 

 

ଲଘୁ ପାଇବ ନିଶ୍ଚେ ପଛେ

ମହା ପ୍ରଭୁଙ୍କୁ ଡାକ ଉଚ୍ଚେ

।।

 

 

ଲଭି ଶ୍ରୀ ଗୁରୁ ପାଦଗତ

ଭଣିଲେ ଭୀମ ଅରକ୍ଷିତ

।।

 

 

ବିଷମ ହେଲା ଏ ସଂସାର

ମୋତେ ତ ଦିଶୁଛି ଅସାର

।।

 

 

ବହୁତ ଅନ୍ୟାୟ ହେଉଛି

ଯୁଗର ସଂଖ୍ୟା ଛିଡ଼ୁଅଛି

।।

 

 

ଚଳ ଚଳରେ କଳିଯୁଗ

କରୁଛି ମାଡ଼ିବସି ଭୋଗ

।।

 

 

ଭ୍ରମି ଯାଉଛ ସର୍ବଲୋକ

ଜଗତ ସରିଲାଣି ଦେଖ

।।

 

 

ବେଳହୁଁ ନାମ ଆଶ୍ରେ କର

ନୋହିଲେ ନ ଦିଶେ ଉଦ୍ଧାର

।।

 

 

ବଡ଼ାଇ କହୁଅଛୁଁ ଆମ୍ଭେ

ମନେ ନ କର ଆଉ ତୁମ୍ଭେ

।।

 

 

ବ୍ରହ୍ମାଣ୍ଡ ହେଉଛି ପ୍ରଳୟେ

ବିଧର୍ମେ ବଞ୍ଚି ନୋହେ କିଏ

।।

 

 

ବ୍ରହ୍ମଜ୍ଞାନକୁ ସାବଧାନ

ଭଣେ ପାମର ଭୀମ ହୀନ

।।

 

 

ଶୂନ୍ୟ ହେଲାଣି ନବକ୍ଷିତି

ଲୋଡ଼ ସେ ପ୍ରଭୁ ଯହିଁଛନ୍ତି

।।

 

 

ସକଳ ଦେଇ ସେ ଚରଣେ

ଭଗତି ହୁଅ ଅନୁକ୍ଷଣେ

।।

 

 

ଶକତ ଗୁରୁ ସେ ଅଟନ୍ତି

ସେହି ଚରଣେ କର ପ୍ରୀତି

।।

 

 

ସ୍ୱାମୀ ଅଟନ୍ତ ଏ ଜୀବର

ସେହୁ ବ୍ରହ୍ମକୁ ଠାବ କର

।।

 

 

ସଙ୍କଟ ପଡ଼ିଛି ବ୍ରହ୍ମାଣ୍ଡେ

ବସୁଧା କାନ୍ଦୁଛି ପ୍ରଚଣ୍ଡେ

।।

 

 

ସତ୍ୟକୁ ଆଶ୍ରେ କର ଏବେ

ବିସ୍ତାରି କହିଦେଲୁ ଆମ୍ଭେ

।।

 

 

ଶୂନ୍ୟ ପ୍ରଭୁଙ୍କ ଧର ଚେତି

ତେବେ ପାଇବ ଗତିମୁକ୍ତି

।।

 

 

ସେବଇ ଗୁରୁପଦଗତ

ଭଣଇ ଭୀମ ଅରକ୍ଷିତ

।।

 

 

ଷୋହତି ଆସୁଅଛି ମାଡ଼ି

ପଡ଼ୁଛି ଅକାଳ ଘଡ଼୍‌ଘଡ଼ି

।।

 

 

ଶୁଭୁଛି କାଳଭୟ କଥା

ଶ୍ରୀନାମ ବ୍ରହ୍ମକର ଚିନ୍ତା

।।

 

 

ଶାପ ପଡ଼ୁଛି ସେ ବ୍ରହ୍ମରୁ

ଅତି ଅନ୍ୟାୟ ଅଧର୍ମରୁ

।।

 

 

ଶନିଶ୍ଚରଟି ପଡ଼ିଅଛି

ତେଣୁ ଏ ଦଣ୍ଡ ପଡ଼ୁ୍ଅଛି

।।

 

 

ଶକତ ହୋଇ ନାମ ଭଜ

କ୍ରିୟାକର୍ମକୁ ବେଗେ ତେଜ

।।

 

 

ଶୁଣିବା ସାଧୁ ସୁଜ୍ଞଜନ

ବ୍ରହ୍ମକର୍ମରେ ଦିଅ ମନ

।।

 

 

ସମ୍ଭାଳି ଧର ହୃଦୟରେ

ଅପ୍ରତେ ନ କର ଚିତ୍ତରେ

।।

 

 

ସଦଗୁରୁଙ୍କ ପଦେ ଧ୍ୟାୟି

ଭଣେ ପାମର ଭୀମଭୋଇ

।।

 

 

ହରଣ ହୋଇବାରୁ ଫଳ

ସମସ୍ତେ ହେଉଛ ବିକଳ

।।

 

 

ହରାଇ ପୂର୍ବର ସୁକୃତ

ଜାଣି ହେଉଛ ପଶୁମତ

।।

 

 

ହତ କରୁଛି କଳି ପାପ

ତେଣୁଟି ପଡ଼ୁଛି ସନ୍ତାପ

।।

 

 

ହିଂସା ବାଦକୁ ଦୂର କର

ମହିଁମା ସାଗରେ ବିହର

।।

 

 

ହିତରେ କହୁଅଛୁ ଆମ୍ଭେ

କେହି ନ ଯାନ୍ତି କାରସଙ୍ଗେ

।।

 

 

ହରିଙ୍କି ଯେ ଭାଜିଲା ତାର

ନୋହିଲେ ନୁହନ୍ତି କାହାର

।।

 

 

ହେଲାଣି ଯେତେ କଥାମାନ

ଏବେ ସମ୍ଭାଳ ସୁଜ୍ଞଜନ

।।

 

 

ହାକି କହଇ ଭୀମ ଭୋଇ

ଶ୍ରୀଗୁରୁପାଦେ ଚିତ୍ତ ଦେଇ

।।

 

 

କ୍ଷମାଦି ସାଗର ସଂସାରେ

ଦ୍ୱିଜଏ ବୈଷ୍ଣବ ବେଶରେ

।।

 

 

କ୍ଷିତି ମଣ୍ଡଳେ ଭୂମି ଭୋଗେ

ଯତି ବେଶରେ ଚାରିଯୁଗେ

।।

 

 

ଖେଳୁଅଛନ୍ତି ଦେହ ବହି

ଦେବ ମାନବେ ଭେଦ ନାହିଁ

।।

 

 

ଖଣ୍ଡିଆ ନୁହନ୍ତି ସେ ପ୍ରଭୁ

ଅଙ୍ଗରେ ପୁରିଅଛି ସବୁ

।।

 

 

କ୍ଷିନ୍ନବେଶରେ ଚାରି ଯୁଗେ

ପାଇନାହାନ୍ତି ବେଦମାର୍ଗେ

।।

 

 

ସଞ୍ଚାର କରୁଛନ୍ତି ସେହି

ବ୍ରହ୍ମାଣ୍ଡେ କ୍ଷୀର ନୀର ଦେଇ

।।

 

 

ଖଣ୍ଡି ସକଳ ପାପମାନ

ମହିମା ଭଜ ସାଧୁଜନ

।।

 

 

କ୍ଷମେ ମହିମାପାଦେ ଆଶ

କ୍ଷଣେ ଭଣିଲେ ଭୀମଦାସ

।।

 

ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ସୁଜନ ଜନମନହିତା ଧର୍ମ

ପ୍ରକାଶ କଥନେ ଆଗମ ନିଗମ ବିଚାରଣେ ଭୂତ ଭବିଷ୍ୟ-

ବାର୍ତ୍ତା ବଖାଣ ନାମୋ ତୃତୀୟୋଽଧ୍ୟାୟଃ ।।

 

ଚତୁର୍ଥ ଅଧ୍ୟାୟ

 

କ୍ଷମା ହୋଇବ ଯେବେ ଭାରା

ସତ୍ୟକୁ କର ହୋ ପସରା

।।

 

 

କ୍ଷତିରେ ଧର୍ମ କର୍ମ କରି

ତେବେ ହୋ ଯିବ ସ୍ୱର୍ଗପୁରୀ

।।

 

 

ଖଣ୍ଡ ତପସ୍ୟା ହୀନ କର

ଆଦ୍ୟରୁ ପ୍ରାନ୍ତଯାଏ ଧର

।।

 

 

କ୍ଷମା ପ୍ରଭୁଙ୍କ ସର୍ବେ ଡାକ

ସମସ୍ତେ ହୋଇ ଏକମୁଖ

।।

 

 

କ୍ଷିତିରେ ସର୍ବେ ଯିବେ ପଡ଼ି

ମାଡ଼ି ଆସୁଛି ଶୂନ୍ୟବଢ଼ି

।।

 

 

ଖେଳଟି ସତ୍ୟ କଳି ଆଦି

ଏ ଦୁଇ ଲାଗିଛନ୍ତି ବାଦୀ

।।

 

 

 

 

କ୍ଷିତିମଣ୍ଡଳେ ବାଣ ପଡ଼ି

ଏ ପୃଥ୍ୱୀ ଯାଉଅଛି ପୋଡ଼ି

।।

 

 

କ୍ଷୟ ଯାଉଛି କାଳ କଳି

ଭୀମ ଅର୍କ୍ଷିତ କହେ ଭାଳି

।।

 

 

ହରି ନାମକୁ ଆଶ୍ରେ କର

କଳିଯୁଗରୁ ହେବ ପାର

।।

 

 

ହାଣି ଯାଉଛି କାଳଖଣ୍ଡା

ପିଣ୍ଡ ବ୍ରହ୍ମାଣ୍ଡ କରି ଗୁଣ୍ଡା

।।

 

 

ପଡ଼ି ଅବସ୍ଥା ମନ୍ଦଗତି

ପାପରେ ଭରିଲାଣି କ୍ଷିତି

।।

 

 

ହଜାଇ ହେତୁ ଗୁଣ ବୁଦ୍ଧି

ହୃଦରେ ନ ପାରୁଛି ଭେଦି

।।

 

 

ହରଷ ହୋଇଲାଣି ଫଳ

ଆବର ପୁଷ୍ପ ଫଳମୂଳ

।।

 

 

ହୋଇ ଗଲାଣି କଥାମାନ

ମନରେ ହେତୁକରି ଜାଣ

।।

 

 

ହାସ୍ୟ ନ କର ତୁ ମନରେ

ଦେଖ ଭାସୁଛି ଏ ସଂସାରେ

।।

 

 

ହିତ କହୁଛି ନରେ ଚେତ

ଭଣିଲେ ଭୀମ ଅରକ୍ଷିତ

।।

 

 

ଶୂନ୍ୟ ପୁରୁଷ କୃପା କର

ଏ ପିଣ୍ଡ ବ୍ରହ୍ମାଣ୍ଡ ଉଦ୍ଧାର

।।

 

 

ଶରଣ ବାରେ ରଖ ରଖ

ନିବାର ଅକାଳ ଭୟେକ

।।

 

 

ସମ୍ଭାଳ କର ପିଣ୍ଡ ପ୍ରାଣ

ପ୍ରଭୁ ତ ବ୍ରହ୍ମାଣ୍ଡ ଧାରଣ

।।

 

 

ସଂସାର ସରିଲାଣି ଦେଖ

ନରେ ହେଲେଣି ଗଜମୂର୍ଖ

।।

 

 

ସ୍ୱାମୀ ତା ଜାଣିବା ପୁରୁଷ

ବିପତ୍ତି କରାଅ ଉଶ୍ୱାସ

।।

 

 

ସାହସ କରିଛନ୍ତି ନରେ

ମିଛକୁ ଏ ଘୋର ସଂସାରେ

।।

 

 

ସମ୍ଭାଳ ଏ ତୁମ୍ଭ ଭଗତ

ପୃଥ୍ୱୀ ହେଉଛି ସମାପତ

।।

 

 

ସତ କହୁଛି ନରେ ଚେତ

ଭଣିଲେ ଭୀମ ଅରକ୍ଷିତ

।।

 

 

ସମସ୍ତେ ଗୁରୁ ସେବା କର

ଅଲେଖ ନାମ ଅନୁସର

।।

 

 

ଶରଣ ପଶ ପାଦତଳେ

ଲଜ୍ଜା ନ କର ଏତେବେଳେ

।।

 

 

ସମ୍ଭାଳି ରଖିବେ ଶୀଗୁରୁ

କରୁଣା ଅଭୟପଞ୍ଜରୁ

।।

 

 

ସତ୍ୟକୁ ଯେହୁ ଥିବ ଧରି

କଳି କବଳୁ ହେବ ପାରି

।।

 

 

ସଂଶୟ ନ କର ମନରେ

ତରିବ ଯେଉଁ ପରକାରେ

।।

 

 

ସତ୍ୟ ବିଚାର କର ବୁଦ୍ଧି

ତେବେ ତରିବି ବାରାନିଧି

।।

 

 

ସାଗର ବିପତ୍ତି ଏ ଅଟେ

ଏହାକୁ ଖଡ଼ଗ ନ କାଟେ

।।

 

 

ଶବଦ ବ୍ରହ୍ମ କରି ଧ୍ୟାନ

ଭଣେ ପାମର ଭୀମ ହୀନ

।।

 

 

ସ୍ୱର୍ଗ ପାତାଳ ମଞ୍ଚପୁର

ଦେଖ ହେଲାଣି ନାରଖାର

।।

 

 

ସରି ଯାଉଛି ଦେଖୁ ଦେଖୁ

ଗୋଚର ନୋହୁଛି କାହାକୁ

।।

 

 

ଶିର ଉପରେ ଛନ୍ତି ପ୍ରଭୁ

ଦୂରକୁ ଯାଉଅଛି ସବୁ

।।

 

 

ସାର ବ୍ରହ୍ମକୁ ଲୟ କର

ସାଧୁଙ୍କ ସେବାରେ ବିହର

।।

 

 

ସର୍ବଦା କର୍ତ୍ତା ଅଟେ ଯେହୁ

ବୈଷ୍ଣବ ବେଶେ ଛନ୍ତି ସେହୁ

।।

 

 

ସ୍ମୃତିପଥରେ ଭେଦ କର

ତେବେ ସେ ପାଇବ ଗୋଚର

।।

 

 

ସରୁ ସାଧୁତ ଲୋକ ସେହି

ଭାଗ୍ୟେ ପାଇଛି ନରଦେହୀ

।।

 

 

ଶରଣ ପଶି ନରେ ଚେତ

କହଇ ଭୀମ ଅରକ୍ଷିତ

।।

 

 

ବ୍ରହ୍ମ କର୍ମାଦି କର ସବୁ

ଉଦ୍ଧରି ଦେଇ ଯିବେ ପ୍ରଭୁ

।।

 

 

ବାତୁଳ ହେଉଛ କିପାଇଁ

ଉତ୍ତମ ନରଦେହ ବହି

।।

 

 

ବେଦଶାସ୍ତ୍ରକୁ ଦେଖ ଦେଖ

କିପାଇଁ ହେଉଛି ବିମୁଖ

।।

 

 

ବହୁତ ହେଲାଣି ଅନ୍ୟାୟେ

ଏଥିରେ ସାକ୍ଷୀ ମହୀ କିଏ

।।

 

 

ବାଜି ଗଲାଣି କାଳ ଶର

ଆତୁର ହେଲାଣି ଶରୀର

।।

 

 

ବ୍ରାହ୍ମଣମାନେ ବେଦକ୍ରମେ

ଏବେ ହୋ ଚାଲ ସତ୍ୟଧର୍ମେ

।।

 

 

ବ୍ରହ୍ମ ପ୍ରଳୟ ଘୁଞ୍ଚିଯିବ

ବସୁଧା ଉଶ୍ୱାସ ହୋଇବ

।।

 

 

ଭ୍ରହ୍ମ ଜ୍ଞାନକୁ କରି ଲୟେ

ଭୀମ ଅର୍କ୍ଷିତ ଫେଡ଼ି କହେ

।।

 

 

ଲୟ ଲଗାଅ ପଦ୍ମପାଦ

ତେବେ ଘୁଞ୍ଚିବ ପରମାଦ

।।

 

 

ଲଙ୍ଘିଣ ଯେଣୁ ଏ ଧର୍ମକୁ

ବିପତ୍ତି ପଡ଼ୁଛି ଅଙ୍ଗକୁ

।।

 

 

ଲାଗିଗଲାଣି ବ୍ରହ୍ମ ଅନ୍ତେ

ବିବେକ ନାହିଁ କାର ଚିତ୍ତେ

।।

 

 

ଲୋଭ ମୋହକୁ ଛାଡ଼ି ସର୍ବେ

ବଡ଼ାଇ କହୁଅଛି ଆମ୍ଭେ

।।

 

 

ଲୟରେ ଭକ୍ତି ଯେ କରିବ

ସେ ପ୍ରାଣୀ ସଂସାରୁ ତରିବ

।।

 

 

ଲକ୍ଷେ ଯୋଜନେ ଥିଲେ ପ୍ରଭୁ

ବିପତ୍ତି ଖଣ୍ଡିବେ ସେ ସବୁ

।।

 

 

ଲାବଣ୍ୟ ମୁରତି ଦେଖିବ

କଳିରୁ ଯେହୁ ବର୍ତ୍ତିଯିବ

।।

 

 

ଲୟ ଲଗାଅ ପାଦଗତ

କହଇ ଭୀମ ଅରକ୍ଷିତ

।।

 

 

ରଟି ପାରିଲେ ସତ୍ୟ ପାଦେ

ମିଳିବ ସୁଧାରସ ଛନ୍ଦେ

।।

 

 

ରସା ମେଦିନୀ ଟଳ ମଳ

ବୁଡ଼ିଗଲାଣି ଧର୍ମ୍ମକୁଳ

।।

 

 

ରହି ପାରିବ ପାନ କରି

ନୋହିଲେ ନିଶ୍ଚେ ଯିବ ସରି

।।

 

 

ଉଡୁଛି ଅନନ୍ତ ବାସୁକୀ

ବିକଳ ହୋଇ ମହାଦୁଃଖୀ

।।

 

 

ରଖିବ ଯେବେ ପିଣ୍ଡ ପ୍ରାଣ

ଗୁରୁ ଚରଣେ ଦିଅ ମନ

।।

 

 

ରିଷ୍ଟରୁ ବଞ୍ଚାଇ ରଖିବେ

ଅଭୟବାନା ଉଡ଼ାଇବେ

।।

 

 

ରହିବ ଯୁଗେ ଯୁଗେ କୀର୍ତ୍ତି

ହୋଇବ ବ୍ରହ୍ମର ଭକତି

।।

 

 

ରକ୍ଷା କରିବେ ପିଣ୍ଡ ପ୍ରାଣ

ଭାବି କହଇ ଭୀମ ହୀନ

।।

 

 

ଜୀଇଁବ ଯେମନ୍ତ ସୁଜନ

ଡାକି କହୁଛି ବୋଲ ଘେନ

।।

 

 

ଯାବତ ବିଷୟାକୁ ଛାଡ଼

ନାମ ବ୍ରହ୍ମକୁ କର ଦୃଢ଼

।।

 

 

ଜାଣୁତ ଅଛ ଯେ ପ୍ରତ୍ୟେକ୍ଷେ

ସାହସ ଉଡ଼ୁଅଛି ମୁଖେ

।।

 

 

ଯୋଗରେ ରଖ ପିଣ୍ଡ ପ୍ରାଣ

ବ୍ରହ୍ମରେ ନ କର ଭ୍ରମଣ

।।

 

 

ଜାଗ୍ରତ କରି ଏବେ ଧର

ସକଳ କର୍ମ ଦୂର କର

।।

 

 

ଯମ ଭୁବନକୁ ନ ଯିବ

ଅଭୟ ପଞ୍ଜରେ ପଶିବ

 

 

ଜଗି ପାରିଲେ ଆଗ ପଛ

ମୁଖରେ ନ ଆସିବ ମିଛ

।।

 

 

ଜଗତ କରତାକୁ ଧ୍ୟାୟି

କହେ ଅର୍କ୍ଷିତ ଭୀମ ଭୋଇ

।।

ମହିମା ଭଜ ସର୍ବଜନ

ଯେ ଅଛ ଧରଣୀ ସୁଜନ

।।

 

 

ମହୀମଣ୍ଡଳେ ସେ ରହିବ

କଳଙ୍କୀ ସ୍ୱରୂପ ଦେଖିବ

।।

 

 

ମନ ପବନ ଏକ କରି

ଯେହୁ ଭଜିବ ଦୃଢ଼େ ଧରି

।।

 

 

ମହାପ୍ରଭୁଙ୍କୁ ସେ ପାଇବ

ସତ୍ୟରେ ବିହନ ହୋଇବ

।।

 

 

 

 

ମହିମା ରଖିବ ସଂସାରେ

କେହି ନୁହନ୍ତି ରଖିବାରେ

।।

 

 

ମହତ ଉତ୍ତମ ପୁରୁଷ

ଅଟନ୍ତି ଭଗତ ବିଶ୍ୱାସ

।।

 

 

ମିଛକୁ ଛାଡ଼ି ସତ କହ

ପ୍ରଭୁ ଆଶ୍ରିତେ ସର୍ବେ ରୁହ

।।

 

 

ମହିମା ଚରଣେ ଶରଣ

ଭଣେ ଅର୍କ୍ଷିତ ଭୀମ ହୀନ

।।

 

ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ସୁଜନଜନ ହିତା ଏକପାଦ

ବର୍ଣ୍ଣନେ ଭକ୍ତିମାର୍ଗ କଥନେ ନାମ ଚତୁର୍ଥୋଽଧ୍ୟାୟ ।।

 

ପଞ୍ଚମ ଅଧ୍ୟାୟ

 

ଭରସା ହେଉଛି ଏ ଯୁଗ

ତେଣୁ ନାଶୁଛି ଚାରିଯୁଗ

।।

 

 

ଭାବେ ମଜ୍ଜିଲେ ଆତ୍ମା ଚିହ୍ନି

ତେବେ ଲଭିବ ବ୍ରହ୍ମଜ୍ଞାନୀ

।।

 

 

ଭରସା କରି ଗୁରୁପାଦ

ତେବେ ସେ ଘୁଞ୍ଚିବ ପ୍ରମାଦ

।।

 

 

ଭାସି ଯାଉଛି ନବଖଣ୍ଡ

ପୁଣ୍ୟ ପବିତ୍ର କର ପିଣ୍ଡ

।।

 

 

ଭାଇ ବନ୍ଧୁର ସ୍ନେହ ଛାଡ଼

ଆତ୍ମା ଭକ୍ତିରେ କର ଦୃଢ଼

।।

 

 

ଭାବନା ଲୋକ ସିନା ଏହି

ଅଭାବେ ନ ରହନ୍ତି କେହି

।।

 

 

 

 

ଭ୍ରଷ୍ଟ ଯେ ହୋଇଲାଣି ପୃଥ୍ୱୀ

ଥୟ ନୋହୁଛି କାହା ମତି

।।

 

 

ପଡ଼ି ସେ ଶ୍ରୀଗୁରୁ ଚରଣ

ଗୀତାରେ ଭଣେ ଭୀମ ହୀନ

।।

 

 

ବ୍ରହ୍ମ ଜ୍ଞାନକୁ କର ଲୟ

ଘୁଞ୍ଚିବ କାଳଦଣ୍ଡ ଭୟ

।।

 

 

ପଦୁପାଦକୁ କର ଲୟେ

ବ୍ରହ୍ମରେ ପଖାଳ ଏ କାୟେ

।।

 

 

ବ୍ରହ୍ମରେ ରଖ ପଞ୍ଚମନ

ବଶ ହୋଇବେ ନାରାୟଣ

।।

 

 

ବୁଦ୍ଧିକି କରି ଆଗୁ ସାର

ଅନାମ ବ୍ରହ୍ମରେ ପ୍ରଚୁର

।।

 

 

ବଡ଼ିମା କଥା ଛାଡ଼ ଚିତ୍ତୁ

ନିଜ ନାମକୁ କର ହେତୁ

।।

 

 

ବଳାଅ ଗୁରୁପାଦେ ମତି

ପୂର୍ବ ହେତୁକୁ ଧର ଚେତି

।।

 

 

ବୁଝି ବିଚାରି କାର୍ଯ୍ୟ କର

ଶ୍ରୀଗୁରୁ ଆଜ୍ଞାରେ ବିହର

।।

 

 

ବ୍ରହ୍ମରେ ହୋଇ ଆତଜାତ

ଭାବେ ଭଣଇ ଭୀମ ଭକ୍ତ

।।

 

 

ଫିଟାଇ କହୁଅଛି ଆମ୍ଭେ

ଏକାନ୍ତ ଭାବ କର ସର୍ବେ

।।

 

 

ଫୁଲା ପଣକୁ ଦୁରେ ଏଡ଼ି

କପଟ କଥାମାନ ଛାଡ଼ି

।।

 

 

ଫରୁଆ ଭିତରେ ପଡ଼ିଛି

ନିଷ୍କାମ ନ କଲେ ନ ବଞ୍ଚି

।।

 

 

ଫଳକୁ ଦେଖି ବାଇ ନୁହ

ସାର୍ଥକ କର୍ମେ ମନ ଥୁଅ

।।

 

 

ଫଳ ସ୍ମୃତିରେ ନୁହ ବାଇ

କହୁଛି ସଂଶୟ ଫିଟାଇ

।।

 

 

ଫିସାଦ କଥାମାନ ଛାଡ଼

ଏକାନ୍ତ ନାମ ବ୍ରହ୍ମେ ଜଡ଼

।।

 

 

ଫନ୍ଦାକୁ ଦୃଢ଼ କରି ଧର

ଅଲେଖ ବ୍ରହ୍ମରେ ବିହର

।।

 

 

ଫୁଙ୍କା ବନ୍ଧରେ ଦେଇ ଚିତ୍ତ

ଆତ୍ମା ଭକ୍ତିରେ ଦିଅ ମନ

।।

 

 

ପୁଣ୍ୟରେ ପଖାଳ ଏ କାୟେ

ତେଣୁଟି ବ୍ରହ୍ମ ଘଟେ ରହେ

।।

 

 

ପରତେ ହୁଅ ଅଲେଖଙ୍କୁ

ଶରୀରେ ଭେଦ କର ତାଙ୍କୁ

।।

 

 

ପାରି କରିବେ ଏ ଦୁସ୍ତରୁ

ଏ ଘୋର ସଂସାର ସାଗରୁ

।।

 

 

ପିଣ୍ଡରେ ପୂରିଅଛି ସେହି

ସ୍ମୃତିରେ ଭେଦ କଲେ ପାଇ

।।

 

 

ପୂର୍ଣ୍ଣନନ୍ଦଟି ଅଟେ ପୁର୍ଣ୍ଣ

ବାହାରେ ଭ୍ରମୁଛି ସୁଜନ

।।

 

 

ପୃଥ୍ୱୀ ପ୍ରଳୟ ହେବ ଦେଖ

ଜୀବକୁ ବ୍ରହ୍ମରନ୍ଧ୍ରେ ରଖ

।।

 

 

ପୂର୍ଣ୍ଣ ବ୍ରହ୍ମରେ ମୁଖେ ଘୋଷ

ମହିମା ସାଗରରେ ପଶ

।।

 

 

ନାମଟି ଚାରିଯୁଗେ ସତ୍ୟ

ବ୍ରହ୍ମରେ ପାଇଟି ମୁକତ

।।

 

 

ନିଶି ଦିବସ ଲୟ କର

ଶୂନ୍ୟ ବ୍ରହ୍ମକୁ ଦୃଢ଼େ ଧର

।।

 

 

ନିସତ ନୁହ ସୁଜ୍ଞଜନ

ଏକ ବ୍ରହ୍ମକୁ କର ଧ୍ୟାନ

।।

 

 

ନରେ ହୋଇଲେ ମନେ ଦୁଜା

ପଶ୍ଚାନ୍ତେ ପାଇବଟି ସଜା

।।

 

 

ନୟନ ଥାଉ ଥାଉ ଜଣା

ମାୟାରେ ହେଉଅଛ ବଣା

।।

 

 

ନାରୀ ପୁରୁଷ ଏକାବେଳେ

ବିହର ଅଲେଖ ମଣ୍ଡଳେ

।।

 

 

ନାମ ବ୍ରହ୍ମକୁ କର ଲୟେ

ଭୀମ ଅର୍କ୍ଷିତ ଫେଡ଼ି କହେ

।।

 

 

ଧର୍ମରେ ହୁଅ ଆତଯାତ

ମୁକ୍ତି ହୋଇବ ପରାପତ

।।

 

 

ଧର୍ମରେ ରହିବ ଧରଣୀ

ସପତ ସାଗର ମେଦିନୀ

।।

 

 

ଧାରଣା କର ନିରିବେଦ

ଶରୀରେ ଭେଦକୁ ସମ୍ପାଦ

।।

 

 

ଧରି ମୁଖରେ ଦୃଢ଼େ ଜପ

ଯେବେ ଦେଖିବ ବ୍ରହ୍ମରୁପ

।।

 

 

ଧର୍ମଟି ଶୂନ୍ୟ ବ୍ରହ୍ମ ଅଟେ

ପୂରି ରହିଛି ସର୍ବ ଘଟେ

।।

 

 

ଧରି ହୃଦରେ ଦୃଢେ ଭଜ

ବିଷୟା କର୍ମମାନ ତେଜ

।।

 

 

ଧର୍ମ ନାବରେ ବସ ସବୁ

ଭୟରୁ ଉଦ୍ଧାରିବେ ପ୍ରଭୁ

।।

 

 

ଧ୍ୟାୟି ଶ୍ରୀଗୁରୁ ପାଦଗତେ

ଭଣିଲେ ଭୀମ ଅରକ୍ଷିତ

।।

 

 

ଦାନହିଁ ଦିଅ ପିଣ୍ଡପ୍ରାଣ

ସୁମରି ଶ୍ରୀଗୁରୁ ଚରଣ

।।

 

 

ଦୟା ହୋଇବ ତେବେ ଯାଇଁ

ନିଶ୍ଚିନ୍ତେ ରହିବ ଏ ମହୀ

।।

 

 

ଦଇବ କରତା ଅଟନ୍ତି

ଭାବିଲେ ସେ ଦୃଶ୍ୟ ହୁଅନ୍ତି

।।

 

 

ଦିନ ପାହିଲା ହେଲା ଶେଷ

ପଡ଼ୁଛି ଅକାଳ ଭବିଷ

।।

 

 

ଦୁସ୍ତରୁ ବଞ୍ଚିବ ଯେମନ୍ତେ

ଧର୍ମ୍ମକୁ ଆଶ୍ରେ କର ଚିତ୍ତେ

।।

 

 

ଦହ୍ୟ ହେଉଛି ଏ ବ୍ରହ୍ମାଣ୍ଡ

ଆବର ପୃଥ୍ୱୀ ନବଖଣ୍ଡ

।।

 

 

ଦୋସରା ସତ୍ୟଯୁଗ ହେବ

ଏଥିକୁ ଧର୍ମ ଚାହିଁଥିବ

।।

 

 

ଦୟାଳୁ ପୁରୁଷ ଚରଣ

ସୁମରି ଭଣେ ଭୀମ ହୀନ

।।

 

 

ଥରକୁ ଥର କାଳକୂଟ

ବ୍ରହ୍ମାଣ୍ଡେ ପଡ଼ିବ ସଙ୍କଟ

।।

 

 

ଥରିବ ଏ ନବ ମେଦିନୀ

କାଳ ଘୋଟିବ ପୁର ତିନି

।।

 

 

ଥୋଇ ଅଛନ୍ତି ୟାକୁ ଗୁରୁ

କରୁଣା ଅଭୟ ପଞ୍ଜରୁ

।।

 

 

ସ୍ଥିତି ପାଇବେ ସତ୍ୟ ଯୁଗେ

କଳିରୁ ଯେହୁ ବର୍ତ୍ତିଥିବେ

।।

 

 

ସ୍ଥାବର ଜଙ୍ଗମ ପର୍ଯ୍ୟନ୍ତେ

ମହା ପ୍ରଭୁଙ୍କୁ ଲୋଡ଼ ଚିତ୍ତେ

।।

 

 

ଥୟେ ରହିବ ପିଣ୍ଡେ ପ୍ରାଣ

ଯେହୁ ଭଜିବ ନାରାୟଣ

।।

 

 

ଥିଲାର କଥା ମାନ ସର୍ବେ

ଗୋପନ ହୋଇଲାଣି ଏବେ

।।

 

 

ସ୍ଥବିର କର ବୁଦ୍ଧିଚିତ୍ତ

କହଇ ଭୀମ ଅରକ୍ଷିତ

।।

 

 

ତ୍ରିକାଳ ବିପତ୍ତି ଏ ଆସି

ବ୍ରହ୍ମାଣ୍ଡ ପକାଉଛି ନାଶି

।।

 

 

ଲାଗିଛି ତ୍ରିଗୁଣ ଦଉଡ଼ି

ସକଳ ପଡ଼ୁଅଛି ଝଡ଼ି

।।

 

 

ତରିବା ବାଟ ସର୍ବେ କର

ନିଜ ନାମକୁ ଦୃଢ଼େ ଧର

।।

 

 

ତ୍ରିପୁର ପ୍ରଳୟ ହେଉଛି

କେ ଅଛି କ୍ଷମା କର କିଛି

।।

 

 

ତିଆରି କହୁଅଛୁ ଆମ୍ଭେ

ଅଖଣ୍ଡ ଯଜ୍ଞ କର ତୁମ୍ଭେ

।।

 

 

ତେବେ କରିବ ଜଳ ବୃଷ୍ଟି

ପାଳିବ ନବଦ୍ୱୀପା ସୃଷ୍ଟି

।।

 

 

ଟାକି ପାରିଲେ ଅଛି ଏବେ

ନୋହିଲେ ଭାସିଯିବେ ସର୍ବେ

।।

 

 

ତିନି ଭୁବନେ ତାଙ୍କ ଦେହୀ

ବିସ୍ତାରି କହେ ଭୀମ ଭୋଇ

।।

 

 

ଅନାଦି ବ୍ରହ୍ମ ଆଶ୍ରେ କର

ରଖିବେ ଅଭୟ ପଞ୍ଜର

।।

 

 

ଅଣଅକ୍ଷରେ ଦିଅ ଚିତ୍ତ

ମୁଖେ ଉଚ୍ଚାର ସତ୍ୟବ୍ରତ

।।

 

 

ଅନନ୍ତ ଗର୍ଭରେ ରହିବ

ଜନ୍ମ ମରଣରୁ ତରିବ

।।

 

 

ଅକ୍ଷ ଅକ୍ଷରେ କର ତତୁ

ପାଇବ ପୂର୍ବ ଜନ୍ମ ହେତୁ

।।

 

 

ଅଣ ସାଧନା କର ଏବେ

ହେତୁ ରହିବ ଚାରିଦିଗେ

।।

 

 

ଅଣ ବିକାରେ କର ସଙ୍ଗ

ଲୀନ ହୋଇବ ବ୍ରହ୍ମଅଙ୍ଗ

।।

 

 

ଅରୂପ ବ୍ରହ୍ମରେ ମିଶିବ

ଅଶେଷ ବ୍ରହ୍ମାଣ୍ଡ ଦିଶିବ

।।

 

 

ଅନାଦି ଗୁରୁପାଦେ ଚିତ୍ତ

ଭଣିଲେ ଭୀମ ଅରକ୍ଷିତ

।।

 

 

ଢୁକିଲା କାଳବେଳ ଆସି

କେ ଅଛି ପ୍ରଭୁ ଦାସ ଦାସୀ

।।

 

 

ଢଳି ପଡ଼ିବ ଦେଖ ଦେଖ

ଶୂନ୍ୟ ବ୍ରହ୍ମଙ୍କୁ ଉଚ୍ଚେ ଡାକ

।।

 

 

ଢାଙ୍କୁଣୀ ଭିତରେ ରଖିବେ

ଅଶେଷ ଭୟ ନିବାରିବେ

।।

 

 

ଢମାଳି ନୁହ ସାଧୁଜନ

ଅଲେଖ ବ୍ରହ୍ମେ ଦିଅ ମନ

।।

 

 

ଢାଳେ ବାନାକୁ ଆଶ୍ରେ କର

ଆନନ୍ଦ ସାଗରେ ବିହର

।।

 

 

ଢୋକି ପିଇବ ମକରନ୍ଦ

ଘୁଞ୍ଚିବ ମାୟା ମୋହ ଦ୍ୱନ୍ଦ

।।

 

 

ଢୁଳାଇ ପଡ଼ିବ ଜଗତ

ଏବେ ହୋ ହେତୁକରି ଚେତ

।।

 

 

ଢଳି ପଡ଼ିଛି କ୍ଷମା କର

କହେ ଅର୍କ୍ଷିତ ଭୀମ ଛାର

।।

 

 

ଡାକି କହୁଛୁ ଆମ୍ଭେ ଉଚ୍ଚେ

ଦୋଷ ନ ଦେବ ଆଉ ପଛେ

।।

 

 

ଡକା ପଡ଼ିଛି ତିନିପୁରେ

ଚେତାଇ ଧର ସୁଜ୍ଞନରେ

।।

 

 

ଡାଳକୁ ଛାଡ଼ି ମୂଳ ଧର

କଳିକାଳରୁ ହେବ ପାର

।।

 

 

ଡ଼ିଙ୍ଗର ସଙ୍ଗତେ ନ ପଡ଼ି

ବିଷୟା କଥାମାନ ଛାଡ଼ି

।।

 

 

ଡୋଳାରେ ଦେଖୁଅଛ ଯେତେ

ବହିତ ଗଲେଣି ସମସ୍ତେ

।।

 

 

ଡେଙ୍ଗ ଜଗତିର ଉପର

ତହିଁ ଅଛନ୍ତି ଅଣାକାର

।।

 

 

ଡରିଲେ ଲଭି ନୋହେ ତାଙ୍କୁ

ଛନ୍ଦି ଦେଉଛ ଦେଖୁ ଦେଖୁ

।।

 

 

ଡଙ୍ଗରା ପରାୟକ ହୋଇ

ଭାବେ ଭଣିଲେ ଭୀମ ଭୋଇ

।।

 

ଇତି ଶ୍ରୀ ଅଷ୍ଟକ ବିହାରୀ ଗୀତା ସୁଜ୍ଞଜନ ମନହିତା ଏକପାଦ

ବର୍ଣ୍ଣନେ ଜ୍ଞାନପାଦ ବିଚାରଣେ ନାମ ପଞ୍ଚମ ଅଧ୍ୟାୟ ।।

 

ଷଷ୍ଠ ଅଧ୍ୟାୟ

 

ଠଉର ନ ଦିଶଇ ବୁଦ୍ଧି

କଳି ହେଲାଣି ବାରାନିଧି

।।

 

 

ଟାଣମାନଙ୍କୁ ଭାଙ୍ଗି ଦେଇ

ଧର୍ମକୁ ଦେଲାଣି ବୁଡ଼ାଇ

।।

 

 

ଠାକୁର ପାଦେ ସେବା କର

ନିଷ୍କାମ ବ୍ରହ୍ମରେ ବିହର

।।

 

 

ଠେଲି ଲହରୀ ଆସୁଅଛି

ଉପାୟ ନ ଦିଶୁଛି କିଛି

।।

 

 

ଠୁଳ ଶୂନ୍ୟକୁ କର ଲୟ

ହୃଦରୁ ଛଡ଼ାଇ ସଂଶୟ

।।

 

 

ଠିକଣା କରି ନାମ ଧର

ହୃଦରେ ସୁବୁଦ୍ଧି ବିଚାର

।।

 

 

 

 

ଠକି ଦେଲାଣି କଳିଯୁଗ

ବୁଡ଼ାଇ ଦେଇ ଧର୍ମନାବ

।।

 

 

ଠିଆ ହୋଇଛି କରଯୋଡ଼ି

ଭୀମ ଅର୍କ୍ଷିତ କହେ ଫେଡ଼ି

।।

 

 

ଟାପରା କରି କଳିକାଳ

ମହତ ନେଲାଣି ସକଳ

।।

 

 

ଟାଣ ପ୍ରଭୁଙ୍କ ଦୃଢ଼େ ଧର

କଳିଯୁଗରୁ ହେବ ପାର

।।

 

 

ଟେକି ରଖିବେ ଭବାର୍ଣ୍ଣବୁ

ଅନ୍ଧାର ଯାମିନୀରେ ପ୍ରଭୁ

।।

 

 

ଟାଣ ଉପାଡ଼ି ଫିଙ୍ଗୁଅଛି

କାହାରି ଟାଣ ନ ରଖୁଛି

।।

 

 

ଟଳି ନ ପଡ଼ି ଦମ୍ଭେ ଥାଅ

ଗୁରୁ ଚରଣେ ଚିତ୍ତ ଥୁଅ

।।

 

 

ଟିଆକୁ କଲାଣି ନିକଟ

ପଡ଼ୁଛି ନାନା ନଟ କୁଟ

।।

 

 

ଟାକି ପାରିଲେ ବେନି ଘଡ଼ି

ଯୋଗୀଏ ପଳାଇବେ ଛାଡ଼ି

।।

 

 

ଟିକା ଯେ ମାତ୍ର ଏବେ ଅଛି

ଭୀମ ଅର୍କ୍ଷିତ କହେ ବାଞ୍ଛୁ

।।

 

 

ନିଶି ଦିବସେ ଲୟ କର

ଅନାମ ବ୍ରହ୍ମରେ ବିହର

।।

 

 

ଅମଡ଼ା ଅପଡ଼ା ସେ ଭୂଇଁ

ଅନାମ ଯେହୁ ନାମ ନାହିଁ

।।

 

 

ନିଷ୍କାମ ସେହି ଅଟେ ପୁର

ସେହି ସ୍ଥାନକୁ ଆଶ୍ରେ କର

।।

 

 

ନିଗମ ଅଛି କି ତହିଁରେ

ଭଜ ନ ପାରେ ସେହୁ ପୁରେ

।।

 

 

ନିଷ୍ଠାରେ ନାମ ହୁଏ କାଳ

ନ ଯାଏ ଅଲେଖ ମଣ୍ଡଳ

।।

 

 

ନାରୀ ପୁରୁଷ ହୋଇ ଏକ

ଅଟନ୍ତି ସେମାନେ ବିବେକ

।।

 

 

ନୂଆ ହୋଇବ ଏହୁ ପୃଥ୍ୱୀ

ତେଣୁ ଲାଗୁଛି ଉତପତ୍ତି

।।

 

 

ନିଷ୍କାମ ବ୍ରହ୍ମେ ଦେଇ ଚିତ୍ତ

ଭଣିଲେ ଭୀମ ଅରକ୍ଷିତ

।।

 

 

ଝଞ୍ଜିଣ ଭିତରେ ନ ପଡ଼

ନିଜ ପ୍ରଭୁଙ୍କୁ ଏବେ ଲୋଡ଼

।।

 

 

ଝଟତି ବୁଝିବେ ସେ କଥା

ହୃଦରୁ ଛଡ଼ାଇବେ ଚିନ୍ତା

।।

 

 

ଝଟକ ବିଦ୍ୟୁ ତାଙ୍କ ରୂପ

ଏହି ବ୍ରହ୍ମାଣ୍ଡେ ଥିବେ ଦେଖ

।।

 

 

ଝାଡ଼ ପର୍ବତ ବନେ ଖୋଜ

ବେଦ ଶାସ୍ତ୍ରକୁ ପଢ଼ି ବୁଝ

।।

 

 

ଯାବତ ଭିତରେ ଯେ ପ୍ରଭୁ

ସେଠାରେ ଲୋଭ ଅଛି ବାବୁ

।।

 

 

ଝଲକ ରୂପେ ନାହିଁ ମିଳେ

ଆତ୍ମା ବିନୋଦେ ବ୍ରହ୍ମତଳେ

।।

 

 

ଝଡ଼ି ପଡ଼ିବ ସର୍ବେ ଦେଖ

ସମ୍ଭାଳି କର ହେ ବିବେକ

।।

 

 

ଝିମିଟେ ଧାଇଁ ପାଦ ଗତ

ଭଣିଲେ ଭୀମ ଅରକ୍ଷିତ

।।

 

 

ଯତ୍ନ କରିଣ ନାମ ଭଜ

ହୃଦରୁ ସର୍ବ କର୍ମ୍ମ ତେଜ

।।

 

 

ଜାନୁ ଯୌବନ ଦିଅ ଦାନ

ଦାସ ପଣରେ ନିଅ ଦିନ

।।

 

 

ଜାଣି ଆତ୍ମାରେ ଭଜ ସର୍ବ

ତେବେ ରହିବ ପିଣ୍ଡ ଜୀବ

।।

 

 

ଜାଣିଥା ଆଗକୁ ପଛକୁ

ପସରା ନ କରି ମିଛକୁ

।।

 

 

ଯଶ ନେବାକୁ ବସିଅଛି

ପାପରେ ଆପ କଟାଉଛି

।।

 

 

ଯୋନି ଜନମ ଜୀବ ଯେତେ

ଶରଣ ପଶ ହେ ସମସ୍ତେ

।।

 

 

ଯାବତ ବିପତ୍ତି ଘୋଟିବ

ନାନା ପାପରେ ଆଶା ଯିବ

।।

 

 

ଜାଗ୍ରତେ ଧରିଥା ପୟର

ଭଣେ ଅର୍କ୍ଷିତ ଭୀମ ଛାର

।।

 

 

ଛପନା କୋଟି ଜୀବ ଯେତେ

ଶରଣ ପଶ ହେ ସମସ୍ତେ

।।

 

 

ଛାୟାରେ ହୁଅ ପ୍ରତିପାଳ

ବୃକ୍ଷ ମୂଳକୁ ସର୍ବେ ଚଳ

।।

 

 

ଛତ୍ର ପରାୟେ ପାଦ ବିନ୍ଦ

ରଖିବେ ସେ ଅନାଦି କନ୍ଦ

।।

 

 

ଛାନିଆଁ ନୁହ ସର୍ବଜନ

ଗୁରୁ ପାଦରେ କର ଧ୍ୟାନ

।।

 

 

ଛାତିକି ଦମ୍ଭ କରି ସର୍ବେ

ଯାହା ସେ କହିଥିଲେ ପୂର୍ବେ

।।

 

 

ଛାଡ଼ୁ ଏ ଯୁଗର ସକ୍ଷମ

ପ୍ରଭୁ ବିତର୍କେ ନାହିଁ କ୍ଷମ

।।

 

 

ଛାଡ଼ି ଅଲଗା ହୋଇଛନ୍ତି

ଗୁପତେ ସର୍ବେ ଦେଖୁଛନ୍ତି

।।

 

 

ଛଡ଼ ବେଦରେ ଦେଇ ମନ

ଭଣେ ପାମର ଭୀମସେନ

।।

 

 

ଚରଣ ତଳେ ଆଶ୍ରେ କର

ଅକ୍ଷୟ ହୋଇବ ଶରୀର

।।

 

 

ଚେତାଇ ଧର ନିଜ ପିଣ୍ଡେ

ଚେତାଟି ରହିବ ବ୍ରହ୍ମାଣ୍ଡେ

।।

 

 

ଗୁରୁଚରଣେ ଆଶ୍ରେ କର

ସଦ୍‌ଗୁରୁଙ୍କୁ ସେବା କର

।।

 

 

ଚର୍ମର ଦେହ ହୀନମାନ

କେତେହେଁ ହେଉଛ ମଉନ

।।

 

 

ଚାପି ଆସୁଛି ମାଡ଼ି କଳି

ଦାଣ୍ଡରେ ପଡ଼ିଛି ବୋବାଳି

।।

 

 

ଚମକ ପଡ଼ୁଛି ସଂସାରେ

ଧନ୍ଦିଣ ମରୁଛ ମିଛରେ

।।

 

 

ଚକ୍ର ଭେଦୁଛି କାଳ ପ୍ରାୟେ

ଲାଗି ଯାଉଛି ସର୍ବ ଦେହେ

।।

 

 

ଚିତ୍ତକୁ ବ୍ରହ୍ମରନ୍ଧ୍ରେ ଥୋଇ

ଭଣେ ଅର୍କ୍ଷିତ ଭୀମଭୋଇ

।।

 

 

ଅଣ ଲେଖାକୁ ସର୍ବେ ଧର

ଆନନ୍ଦ ସାଗରେ ବିହର

।।

 

 

ଉଲଟି ଅଦ୍ୟ ଅଣାକାର

ଛପନ କୋଟି ଅବତାର

।।

 

 

ଅନାଦି ବ୍ରହ୍ମ ସେ ଅଟଇ

ଆତ୍ମାରେ ନିମଜ୍ଜି ଲେ ପାଇ

।।

 

 

ଅହିଂସା ହୁଅ ସର୍ବଜନ

ହିଂସାରେ ନାହିଁ ବ୍ରହ୍ମଜ୍ଞାନ

।।

 

 

ଅଡ଼ୁଆ କଥାରେ ନ ପଶ

ଅରୂପ ବ୍ରହ୍ମ ନୁହେ ଦୃଶ୍ୟ

।।

 

 

ଅରୂପ ବୋଲି ଯାହା କହି

ରୂପ ଅଛଇ ରୂପ ନାହିଁ

।।

 

 

ଅଣ ଅକ୍ଷରେ କର ଲୟ

ଅନାଦି କରିବେ ବିଜୟ

।।

 

 

ଆଶ୍ରୟ କରି ପାଦଗତ

ଭଣିଲେ ଭୀମ ଅରକ୍ଷିତ

।।

 

 

ଘଟରେ ନିରୂପଣ କର

ଆତ୍ମା ଗୋଚରେ ତାଙ୍କୁ ଧର

।।

 

 

ଘଟରେ ଘାଟିଆ ଅଛନ୍ତି

ଏ ଆତ୍ମା ଉଦ୍ଧାର କରନ୍ତି

।।

 

 

ଘୋର ବନଟି ଦେହ ଜାଣ

ଯେ ରୁପେ ହେବ ପରିତ୍ରାଣ

।।

 

 

ଘଟରେ ପୁରିଛନ୍ତି ସେହି

ଜୀବନ ଲିଙ୍ଗ ପ୍ରାୟ ହୋଇ

।।

 

 

ଘାଣ୍ଟି ହେଉଛି ବିଅର୍ଥରେ

ପ୍ରଭୁ ଅଛନ୍ତି ଏ ଘଟରେ

।।

 

 

ଘୋଟିଅଛନ୍ତି ରୁମ ଚର୍ମ

ଅସ୍ଥି ମାଂସରେ ସେହୁ ବ୍ରହ୍ମ

।।

 

 

ଘନ ଗର୍ଜନ ପ୍ରାୟ ହୋଇ

ଚେତା ଶବଦେ ସଙ୍ଗେ ରହି

।।

 

 

ଘୋର ଅନ୍ଧାର କଳି ଜାତ

ଭଣିଲେ ଭୀମ ଅରକ୍ଷିତ

।।

 

 

ଜ୍ଞାନ ସାଗରେ ସର୍ବେ ବୁଡ଼ି

ଆଗତ କଥାମାନ ହୁଡ଼ି

।।

 

 

ଗୁରୁ ଅଟନ୍ତି ଜ୍ଞାନ ଭାର

ଦର୍ଶନେ କରନ୍ତି ନିସ୍ତାର

।।

 

 

ଗତିକି ଯେବେ ଇଚ୍ଛା ଅଛି

ଗତିକି ଲୋଡ଼ ବେଗେ ବାଛି

।।

 

 

ଗହାଗତକୁ କର ହେତୁ

ଗର୍ଭ ବାସନା ମନେ ତତୁ

।।

 

 

ଗଢ଼ୁ ଅଛନ୍ତି ବାଡ଼ିପଥେ

ଯେବଣ ବ୍ରହ୍ମ ଥିଲେ ଗୁପ୍ତେ

।।

 

 

ଗଲାଣ ଚାରି ଧର୍ମ୍ମ ଉଠି

ଅବସ୍ଥା ହୋଇ ନାବ ସୃଷ୍ଟି

।।

 

 

ଛାଣି ନେଲେଣି କଳ ସବୁ

ସେଯେ ଅଲେଖ ମହାପ୍ରଭୁ

।।

 

 

ଗୁରୁଚରଣେ ଦେଇ ଚିତ୍ତ

ଭଣିଲେ ଭୀମ ଅରକ୍ଷିତ

।।

 

 

କ୍ଷେମେ ହୋଇବ ଏ ସଂସାର

ବିଚାର କର ସୁଜ୍ଞନର

।।

 

 

କ୍ଷେତ୍ର ନୋହିଲେ ଦଣ୍ଡଧର

ଉଶ୍ୱାସ ନୋହେ ମହୀ ଭାର

।।

 

 

କ୍ଷମା ନୋହିବ କଦାଚିତେ

ବୁଝାଇ କହୁଅଛି ଏତେ

।।

 

 

ଖର ଦାନବ ଯଜ୍ଞ ହେଲେ

ସନ୍ତୋଷ ଏବେ ଦିନ ପାଳେ

।।

 

 

ଖଣ୍ଡନ ହେବ ପାପମାନ

ପାଳିବ ଚଉବର୍ଗମାନ

।।

 

 

ଖଣ୍ଡି କୁଡ଼ିଆ ଷୋଳପୁରୀ

ହୋଇବ ଉଆଁସ ପାଚେରୀ

।।

 

 

ଖରାପ ନୋହିବ ଯେ ଧର୍ମ

ସର୍ବ ବ୍ୟାପିତ ହେବ ବ୍ରହ୍ମ

।।

 

 

କ୍ଷମା ମହିମା ପାଦେ ଧ୍ୟାୟି

ଭଣେ ଅର୍କ୍ଷିତ ଭୀମଭୋଇ

।।

 

 

କାରଣ ଯେହୁ ଏ ସଂସାରେ

ଥିଲେ ଯେ ବୈଷ୍ଣବ ବେଶରେ

।।

 

 

କରି ସେ ଅନୁକୂଳ ସବୁ

ଆଗକୁ ଥୋଇଛନ୍ତି ପ୍ରଭୁ

।।

 

 

କଳିକାଳକୁ ଦେଖି କରି

ଯାଇ ଅଛନ୍ତି ଅପସରି

।।

 

 

କଣ୍ଟ ହେଲାଣି ଆସି ଶେଷ

ଏଥର କଳିଙ୍କି ପ୍ରବେଶ

।।

 

 

କଳି ଯୁଗରୁ ବଞ୍ଚି ଥାଅ

ନିଜ କର୍ମରେ ଚିତ୍ତ ଥୁଅ

।।

 

 

କଳି ଭାଜିଲେ ସତ୍ୟ ହେବ

ଧର୍ମାଦି ବସାଇବେ ଯୁଗ

।।

 

 

କାମନାମାନ ପୁର୍ଣ୍ଣ ହେବ

ଲଭିବ ଆନନ୍ଦ ସୁଲଭ

।।

 

 

କରତା ପାଶ ଗତେ ଆସ

ଭଣେ ଅଧମ ଭୀମ ଦାସ

।।

 

ଇତି ଶ୍ରୀ ଅଷ୍ଟକ ବିହାରୀ ଚଉତିଶା ଗୀତା ସୁଜନଜନହିତା

ଏକପାକ ବର୍ଣ୍ଣନେ ଆଗମନିଗମ କଥନେ ନାମୋ

ଷଷ୍ଠ ଅଧ୍ୟାୟଃ ।।